ଓଡିଆ ଅସ୍ମିତାର ଉଦ୍ଦେଶ୍ୟ
ଓଡିଆ ଅସ୍ମିତା ହେଉଛି ଓଡିଶାର ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା,ଐତିହ୍ୟ,କଳା,କୀର୍ତ୍ତି ଇତ୍ୟାଦିର ବାହକ।ଅସ୍ମିତା ଶବ୍ଦ ଓଡିଆ ଭାଷାରେ ତତ୍ସମ ଶବ୍ଦ ଭାବରେ ପ୍ରଚଳିତ କେଉଁ ପ୍ରାଚୀନ କାଳରୁ।ଅସ୍ମିତା ଶବ୍ଦ ସୃଷ୍ଟି ହୋଇଛି "ଅସ୍ମି" ଶବ୍ଦରୁ।ଅସ୍ମି ଶବ୍ଦର ଅର୍ଥ ହେଉଛି "ମୁଁ ଅଛି"।ତେଣୁ ଅସ୍ମିତାକୁ ଆତ୍ମ-ପରିଚୟ ଅର୍ଥରେ ଗ୍ରହଣ କରାଯାଏ।ବିବିଧ ସମୟରେ ବିବାଦ ଉଠେ ଯେ ଅସ୍ମିତାର ଅର୍ଥ ହେଉଛି ଅହଂକାର ବା ଆତ୍ମବଡିମା କିନ୍ତୁ ଓଡିଆ ଭାଷାରେ ଅନେକ ଶବ୍ଦ ଆଭିଧାନିକ ଅର୍ଥକୁ ଅସ୍ବୀକାର କରି ପ୍ରୟୋଗିକ ଅର୍ଥରେ ବ୍ୟବହୃତ ହୋଇଥାଏ।ତେଣୁ ସାଧାରଣ ଅର୍ଥରେ ଅସ୍ମିତା କହିଲେ ଯାହାକୁ ନେଇ ଆମର ପରିଚୟ ଓ ଅସ୍ତିତ୍ବ ଗଢି ଉଠିଛି ତାହାହିଁ ଅସ୍ମିତା।ଏହି ଅସ୍ମିତା ଗୋଟିଏ ଜାତିର ପରିଚୟ ଓ ସ୍ବାଭିମାନ ର ମୂଳଉତ୍ସ।ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ,କଳା କାର୍ତ୍ତିରେ ଭାସ୍ବର କୋଣାର୍କ ହେଉଛି ଓଡିଆ ଅସ୍ମିତାର ପ୍ରତୀକ,ସମ୍ବଲପୁରୀ ବାନ୍ଧକଳା ଓ ପାଟବସ୍ତ୍ର,ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ,ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲା,କଟକର ତାରକସି କାମ,ଭୁବନେଶ୍ବରର ଲିଙ୍ଗରାଜ,ବ୍ୟାସ କବି ଫକୀରମୋହନ ସେନାପତି,ସ୍ବଭାବ କବି ଗଙ୍ଗାଧର ମେହେର,ଉତ୍କଳ ଗୌରବ ମଧୁସୂଦନ ଦାସ,ଓଡିଶାର ଧର୍ମଧାରଣା, ଓଡିଶାର ରାଜାମାନଙ୍କ ବିରତ୍ବ ଇତ୍ୟାଦି ହେଉଛି ଓଡିଆ ଅସ୍ମିତାର ସନ୍ତକ।ଯାହାକୁ ନେଇ ଏ ମାଟି ଗୌରବାନ୍ବିତ ତାହା ହିଁ ଅସ୍ମିତାର ପ୍ରତିବିମ୍ବ।ଓଡିଆ କହିଲେ ଆମେ ସାଧାରଣତଃ କଟକିଆକୁ ବୁଝୁଛୁ ଯାହା ଏକ ଭ୍ରାନ୍ତିମୂଳକ ଧାରଣା।ଓଡିଆ ଏକ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ସାହିତ୍ୟିକ ମର୍ଯ୍ୟାଦାସମ୍ପନ୍ନ ଭାଷା।ସାହିତ୍ୟିକ ଭାଷା ସବୁବେଳେ ବିଭିନ୍ନ ଉପଭାଷା ଓ ଆଞ୍ଚଳିକ ଭାଷାମାନଙ୍କୁ ନେଇ ହୋଇଥାଏ ଗଠିତ। ଓଡିଶାରେ ଅଞ୍ଚଳ ଭେଦରେ ବିବିଧ ଭାଷା ରହିଛି ଉଦାହରଣ ସ୍ବରୂପ- କଟକରେ କଟକିଆ,ଭୁବନେଶ୍ବରରେ ଭୁବନେଶ୍ୱରିଆ,ବାଲେଶ୍ବରରେ ବାଲେଶ୍ଵରିଆ,ଯାଜପୁରରେ ଯାଜପୁରିଆ,ସୁନ୍ଦରଗଡରେ ସୁନ୍ଦରଗଡିଆ,ସମ୍ବଲପୁର ରେ ସମ୍ବଲପୁରିଆ,ବରଗଡରେ ବରଗଡିଆ ଏହି ପରି ବିବିଧ ଅଞ୍ଚଳରେ ବିଭିନ୍ନ ଆଞ୍ଚଳିକ ଭାଷା ରହିଥାଏ।ଓଡିଶାରେ ଆଞ୍ଚଳିକ ଭାଷା ସହିତ କେତେକ ଆଦିବାସୀ ଭାଷା ମଧ୍ଯ ଏହି ଓଡିଆ ଭାଷାର ଅନ୍ତର୍ଭୁକ୍ତ।ତେଣୁ ଓଡିଆ କହିଲେ କଟକିଆକୁ ବୁଝାନଯାଇ ଓଡିଶାର ପ୍ରତ୍ୟେକ ଅଞ୍ଚଳରେ ବାସ କରୁଥିବା ଅନ୍ତେବାସୀଙ୍କୁ ବୁଝାଯିବ।ଯଦି ଗୋଟିଏ ବ୍ଯକ୍ତି ଅନ୍ୟ ରାଜ୍ୟରୁ ଆସି ଆମ ଓଡିଶାରେ ରହୁଛି ଏବଂ ଆମ ଭାଷା କହିପାରୁଛି ତେଣୁ ତାକୁ ମଧ୍ଯ ଓଡିଆ କୁହାଯିବ।ଏହି ଭଳି ଭାବେ ଓଡିଆ ହେଉଛନ୍ତି ଓଡିଶାରେ ବାସ କରୁଥିବା ପ୍ରତ୍ୟେକ ଜନସାଧାରଣ।ଓଡିଶାର ପଶ୍ଚିମାଞ୍ଚଳରେ ବିବାଦ ଉଠୁଛି ଯେ "ଓଡିଆ ଅସ୍ମିତା" କୋଶଲ ଅସ୍ମିତା ପ୍ରତି ଏକ ଅପମାନସୂଚକ ଶବ୍ଦ।ଯେହେତୁ ଆମେ ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଭାବେ ହୃଦୟଙ୍ଗମ କରିପାରିଲେ ଯେ "ଓଡିଆ ଅସ୍ମିତା" ଓଡିଶାର ପୂର୍ବାଞ୍ଚଳ,ପଶ୍ଚିମାଞ୍ଚଳ,ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳକୁ ସମଭାବରେ ନେଇ ପ୍ରତିଷ୍ଠିତ ତେବେ ଓଡିଆ ଅସ୍ମିତା ଭିତରେ କୋଶଲ ଅସ୍ମିତା ମଧ୍ଯ ଆସୁଛି ଏହା ଓଡିଶାର ପଶ୍ଚିମାଞ୍ଚଳ ପ୍ରତି କୌଣସି ପ୍ରକାର ଅପମାନ ନୁହେଁ।ତେଣୁ "ଓଡିଆ ଅସ୍ମିତା" କହିଲେ ସମଗ୍ର ଓଡିଶାରେ ରହୁଥିବା ଲୋକଙ୍କର ଆତ୍ମ ପରିଚୟ ବା ସ୍ବାଭିମାନ ଅର୍ଥରେ ଗ୍ରହଣୀୟ।ବର୍ତ୍ତମାନ "ଓଡିଆ ଅସ୍ମିତା"କୁ ଗୋଟିଏ ରାଜନୈତିକ ଶବ୍ଦ ଭାବରେ ବ୍ୟବହାର କରାଯାଉଛି କିନ୍ତୁ ଓଡିଆ ଅସ୍ମିତା କୌଣସି ରାଜନୀତି ଦଳରୁ ଜାତ ନୁହେଁ।"ଓଡିଆ ଅସ୍ମିତା" ଓଡିଆ ଜାତିର ଆରମ୍ଭ କାଳରୁ ଏହାର ସୁଦୂରପ୍ରସାରୀ ପ୍ରଭାବକୁ ବିସ୍ତାର କରି ଆସିଛି।ଅନେକ ସମୟରେ ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବାରେ ଲାଗିଛି ଯେ ଓଡିଆ ଅସ୍ମିତା ସଙ୍କଟରେ କିନ୍ତୁ ଏହି ସଙ୍କଟରୁ ରକ୍ଷା ପାଇବାର ପଦକ୍ଷେପ କେହି ଗ୍ରହଣ କରୁନାହାନ୍ତି ବରଂ ଗୋଟିଏ ପ୍ରକାର ଭୋଟ ବ୍ୟାଙ୍କ ରାଜନୀତି ଚଲେଇଛନ୍ତି।ଯେଉଁ ଓଡିଶା ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇ ତ୍ରିକଳିଙ୍ଗ ଭାବେ ବିଖ୍ୟାତ ଥିଲା ସେହି ଓଡିଶା ଅଧୁନା ନିଜର ପୂର୍ବ ଗୌରବକୁ ହରେଇ ବସିଲାଣି।ଏମିତି ଏକ ପ୍ରତିକୂଳ ସମୟରେ "ଓଡିଆ ଅସ୍ମିତା" ନାମକ ନିରପେକ୍ଷ ଖବର ଚ୍ୟାନେଲ ର ଲୋକାର୍ପଣ ନିଶ୍ଚିତ ଭାବେ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା ,କଳା,ଭାସ୍କର୍ଯ୍ଯ,କୃଷି ସର୍ବୋପରି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଶୁଭଙ୍କର ସଂକେତ।ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ସୁବ୍ରତ କୁମାର ବିର୍ତ୍ତିୟାଙ୍କ ଏହି ଅଭିନବ ପ୍ରୟାସ ବାସ୍ତବିକ୍ ଅଭିନନ୍ଦନୀୟ।ତାଙ୍କର ଏହି ଅଭିନବ ପରିକଳ୍ପନା ପାଇଁ ତାଙ୍କୁ ଅଶେଷ ସାଧୁବାଦ ଜ୍ଞାପନ କରୁଅଛୁ।ଏବେକାର ଗଣମାଧ୍ୟମ କେବଳ ରାଜନୀତି ଭିତ୍ତିକ ଖବର ପ୍ରସାରଣ କରୁଥିବାବେଳେ "ଓଡିଆ ଅସ୍ମିତା" ସାମାଜିକ,ସାଂସ୍କୃତିକ,ସାହିତ୍ୟିକ ଠାରୁ ରାଜନୈତିକ ଇତ୍ୟାଦିର ପରିସରଭୁକ୍ତ ହେବା ସହିତ ଭାଷା,ସାହିତ୍ୟ,କଳା,ସଂସ୍କୃତି,ପରମ୍ପରା ଇତ୍ୟାଦିର ସୁରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ପାଇଁ ଆଙ୍ଗୀକାରବଦ୍ଧ।ଜନସାଧାରଣ ଓ ସରକାର ମଧ୍ଯରେ ଏକ ମଧ୍ୟବର୍ତ୍ତୀ ସ୍ଥାନ ଗ୍ରହଣ କରିବ ଏହି ଖବର ଚ୍ୟାନେଲ।ଦଳମତ ନିର୍ବିଶେଷରେ ନିରପେକ୍ଷ ସାମ୍ବାଦିକତା ପାଇଁ ପ୍ରତିଶ୍ରୁତି ବଦ୍ଧ "ଓଡିଆ ଅସ୍ମିତା"। ଏପର୍ଯ୍ୟନ୍ତ କୌଣସି ରାଜନୀତି ପୃଷ୍ଠପୋଷକତା ବା କୌଣସି ସଂଗଠନର ଆର୍ଥିକ ସହଯୋଗକୁ ପାଥେୟ କରି "ଓଡିଆ ଅସ୍ମିତା" ଆତ୍ମପ୍ରକାଶ କରିନାହିଁ।ସୁବ୍ରତ କୁମାର ବିର୍ତ୍ତିୟାଙ୍କ ଓଡିଶା ଓ ଓଡିଆ ମାନଙ୍କ ପ୍ରତି ରହିଥିବା ମମତ୍ବବୋଧରୁ ଏହି ଖବର ଚ୍ୟାନେଲ ଆଜି ଶୁଭାରମ୍ଭର ଆଲୋକ ଦେଖିପାରିଛି ।"ଓଡିଆ ଅସ୍ମିତା" ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ପାଇଁ ମଧ୍ଯ ସଂକଳ୍ପବଦ୍ଧ।ଓଡିଶାର କୋଣ ଅନୁକୋଣର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସର୍ବଦା ପ୍ରାଧାନ୍ୟ ଦେବ ଓଡିଆ ଅସ୍ମିତା।"ଓଡିଆ ଅସ୍ମିତା" ଖବର ଚ୍ୟାନେଲର ଶୁଭାରମ୍ଭ ଅବସରରେ ଓଡିଶାର ଜନସାଧାରଣଙ୍କ ସାହାଯ୍ୟ,ସହଯୋଗ ଓ ଅକୁଣ୍ଠ ସମର୍ଥନ ଆମମାନଙ୍କର ସର୍ବଶ୍ରେଷ୍ଠ ପୁଞ୍ଜି।"ଓଡିଆ ଅସ୍ମିତା" ପ୍ରତ୍ୟେକ ଓଡିଆଙ୍କ ସ୍ବର ତେଣୁ ପ୍ରତ୍ୟେକ ଓଡିଆଙ୍କ ବିପୁଳ ଅଂଶଗ୍ରହଣ ନିଃସ୍ବାର୍ଥପର ଭାବରେ ଆମକୁ ନିରପେକ୍ଷ ସାମାଜିକ କାର୍ଯ୍ୟ ଏବଂ ଖବର ପ୍ରସାରଣ କରିବାକୁ ଅଜସ୍ର ଉତ୍ସାହ ଓ ଖୋରାକ୍ ଯୋଗେଇବ।ଆନ୍ତରିକ ଧନ୍ୟବାଦ 🙏🏻🙏🏻🙏🏻 -ଆୟାଶ ପଣ୍ଡା-
..ଅଧିକ ଜାଣିବା ପାଇଁ